ପ୍ରସିଦ୍ଧ ତିରୁପତି ଲଡୁ ତିଆରି କରିବା ପାଇଁ ପଶୁ ଚର୍ବି ବ୍ୟବହାର କରାଯାଇଥିବା ବିବାଦ ଜାରି ରହିଥିବା ବେଳେ ଏହି ମାମଲା ଶୁକ୍ରବାର ସୁପ୍ରିମ୍ କୋର୍ଟରେ ପହଞ୍ଚିଛି । ଜଣେ ଓକିଲ ପିଟିସନ୍ ଦାଖଲ କରି କହିଛନ୍ତି ଯେ ଏହି କାର୍ଯ୍ୟ ମୌଳିକ ହିନ୍ଦୁ ଧାର୍ମିକ ରୀତିନୀତିକୁ ଉଲ୍ଲଂଘନ କରୁଛି ଏବଂ ପ୍ରସାଦକୁ ଏକ ପବିତ୍ର ଆଶୀର୍ବାଦ ଭାବେ ବିବେଚନା କରୁଥିବା ଅଗଣିତ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଆବେଦନକାରୀ କହିଛନ୍ତି, ଲଡୁରେ ପଶୁ ଚର୍ବିର ଉପସ୍ଥିତି ମନ୍ଦିର ପ୍ରଶାସନରେ ବ୍ୟାପକ ବ୍ୟବସ୍ଥାଗତ ସମସ୍ୟାର ଲକ୍ଷଣ ଏବଂ ହିନ୍ଦୁ ଧାର୍ମିକ ପ୍ରଥାର ପବିତ୍ରତାକୁ ସୁରକ୍ଷିତ ରଖିବାକୁ ଏଥିରେ ତତ୍କାଳ ହସ୍ତକ୍ଷେପ ଲୋଡ଼ା।ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ପଠାଯାଇଥିବା ଏକ ଚିଠିରେ ଆବେଦନକାରୀ ଆଇନଜୀବୀ ସତ୍ୟମ ସିଂହ କହିଛନ୍ତି, ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ପରିଚାଳିତ ମନ୍ଦିରରେ ପ୍ରସାଦ ଉପରେ ଆସିଥିବା ଅଭିଯୋଗ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି ଏବଂ ଲଡୁରେ ପଶୁ ଚର୍ବି ବ୍ୟବହାର କରିବା ସମ୍ବିଧାନର ଧାରା ୨୫ର ଉଲ୍ଲଂଘନ କରୁଛି, ଯାହା କି ଧର୍ମ ସଂକ୍ରାନ୍ତ ସ୍ୱାଧୀନତା ଅଧିକାରକୁ ସୁନିଶ୍ଚିତ କରୁଛି। ଧାର୍ମିକ ରୀତିନୀତି ପାଳନ କରିବାର ଯେଉଁ ଅଧିକାର ସମ୍ବିଧାନ ନାଗରିକଙ୍କୁ ଦେଇଛି, ଏହି ମାମଲାରେ ତାହା ଉଲ୍ଲଂଘନ ହୋଇଛି ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।