ଆଜି ସକାଳେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲାରେ ଦୁଇ ତିନିଜଣ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ୨ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ସେନା ଅଧିକାରୀଙ୍କ ସମେତ ୪ଜଣ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ କହିଛି। କାଣ୍ଡି ଅରଣ୍ୟାଞ୍ଚଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ବୋଲି ଜମ୍ମୁ ଜୋନ୍ର ଅତିରିକ୍ତ ପୁଲିସ ମହାନିର୍ଦେଶକ ମୁକେଶ ସିଂହ ସୁନିଶ୍ଚିତ କରିଛନ୍ତି। ସରକାରୀ ଅଧିକାରୀମାନଙ୍କ କଥାରୁ ଉଦ୍ଧୃତି କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି ଯେ, ରାଜୌରି ଜିଲ୍ଲାର ବନୟାରି ପାର୍ବତ୍ୟାଞ୍ଚଳର ଡୋକ୍ରେ ଏବେ ମଧ୍ୟ ଗୁଳି ବିନିମୟ ଚାଲିଛି। ସେନା ଅଧିକାରୀମାନଙ୍କ କହିବା ଅନୁସାରେ, ଏହି ଆତଙ୍କବାଦୀମାନେ ହେଉଛନ୍ତି ଏପ୍ରିଲ୍ ୨୦ ତାରିଖ ଦିନ ସେନା ଟ୍ରକ୍ ଉପରେ ଅତର୍କିତ ଆକ୍ରମଣ କରିଥିବା ଆତଙ୍କବାଦୀ ସଙ୍ଗଠନର ସଦସ୍ୟ। ସେଦିନ ସେମାନଙ୍କ ଆକ୍ରମଣରେ ଅନ୍ୟୂନ ୫ଜଣ ଯବାନ ସହିଦ ହୋଇଥିଲେ ଓ ଜଣେ ଯବାନ ଆହତ ହୋଇଥିଲେ। ଆଜି ପ୍ରତ୍ୟୁଷରେ ସେ ଅଞ୍ଚଳରେ ଆତଙ୍କବାଦୀ ଓ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।