ସମ୍ବଲପୁର: ହାଇୱା ଧକ୍କାରେ ସମ୍ବଲପୁରର ୨ ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା କଣ୍ଟାପାଲିରେ ବିଳମ୍ବିତ ରାତିରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ବିଜେପି ଚିପଲିମା ମଣ୍ଡଳ ସଭାପତି ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆ । ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ଦୁଇ ମୃତକ ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି।
ହାଇଓ୍ବା ଡ୍ରାଇଭର ଜାଣିଶୁଣି ହାଇଓ୍ବା ଚଢାଇ ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ ଏହି ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ହାଇଓ୍ବା ଡ୍ରାଇଭର ବାରମ୍ବାର ଧକ୍କା ଦେବା ସହ ତଳକୁ ଘୋଷାଡି ନେଇଥିବା କହିଛନ୍ତି ମୃତକଙ୍କ ସମ୍ପର୍କୀୟ ସୁଧୀର ଛୁରିଆ। ଏନେଇ ଥାନାରେ ଏତଲା ଦିଆଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁସାରେ ଗତକାଲି ଦେବେନ୍ଦ୍ର ଓ ମୁରଲୀ ଆଉ ଦୁଇ ଜଣଙ୍କ ସହ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଫେରିଥିଲେ । ଏହାପରେ ରେଳ ଷ୍ଟେସନରୁ କାର ଯୋଗେ ଚିପଲିମା ସ୍ଥିତ ଘରକୁ ଫେରୁଥିଲେ । ତେବେ କଣ୍ଟାପାଲି ଅଞ୍ଚଳରେ ତାଙ୍କ କାରକୁ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲା । ଯାହାଫଳରେ କାରଟି ଜାତୀୟ ରାଜପଥରୁ ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଗୋଶାଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଭିମସାରରେ ଭର୍ତ୍ତି କରିଥିଲା । ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକକୁ ପୋଲିସ ଗିରଫ କରିଛି ।