ନୂଆଦିଲ୍ଲୀ: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିହତ । ଜାମ୍ମୁ କାଶ୍ମୀରର ସୋପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ବର୍ତ୍ତମାନ ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି। ବାରମୂଲା ଜିଲ୍ଲାରେ ସେନା ଓ ପୋଲିସ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଚାଲିଛି । ଆତଙ୍କବାଦୀଙ୍କ ଗତିବିଧି ନେଇ ସୂଚନା ମିଳିବା ପରେ ଏହି ସର୍ଚ୍ଚ ଅପରେସନ କରାଯାଉଛି । ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୋପୋରର ପାନିପୋରା ଅଞ୍ଚଳରେ ସର୍ଚ୍ଚ ଅପରେସନ ହୋଇଥିଲା । ଗୁରୁବାର ସନ୍ଧ୍ୟାରେ ଏହି ଏନକାଉଣ୍ଟର ହୋଇଥିଲା।
ଅଧିକାରୀ କହିଛନ୍ତି, ‘ସର୍ଚ୍ଚ ଅପରେସନ ସମୟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ପ୍ରାରମ୍ଭିକ ଗୁଳି ବିନିମୟ ପରେ ଏହି ଅଞ୍ଚଳକୁ ଅତିରିକ୍ତ ବାହିନୀ ପଠାଯାଇଥିବା ନେଇ ସେ କହିଛନ୍ତି। ସୁରକ୍ଷା ବାହିନୀ ରାତିସାରା ଏହି ଅଞ୍ଚଳରେ ଘେରାବନ୍ଦୀ ବଜାୟ ରଖିଥିଲେ। ଗୁରୁବାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟକୁ ପୋଲିସ ନିଶ୍ଚିତ କରିଛି।