ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଛନ୍ତି ଭାରତର ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ପ୍ରଥମେ ଭିନେଶ ଗତ ଅଲିମ୍ପିକ୍ସର ଡିଫେଣ୍ଡି ଚାମ୍ପିଆନ ତଥା ଚାରିଥର ବିଶ୍ୱ ଚାମ୍ପିଆନ ହୋଇଥିବା ୟୁଇ ସୁସାକିଙ୍କୁ ରୋମାଞ୍ଚକର ମୁକାବିଲାରେ ୩-୨ ରେ ମାତ ଦେଇ କ୍ୱାଟରଫାଇନାଲରେ ପ୍ରବେଶ କରିଥିଲେ । ପରେ କ୍ୱାଟର ଫାଇନାଲରେ ୟୁକ୍ରେନର କୁସ୍ତିଯୋଦ୍ଧାଙ୍କୁ ଚିତ କରି ଦେଇଥିଲେ । ସେମିଫାଇନାଲ ଫାଇଟ ଜିତି ଭିନେଶ ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆଜି ଭାରତୀୟ ସମୟ ରାତ୍ର ପ୍ରାୟ ୯.୪୫ ସମୟରେ ଫାଇନାଲ ଫାଇଟ ଜିତି ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ରହିଛି ଭିନେଶଙ୍କ ପାଖରେ । ଭାରତ ମଧ୍ୟ ଏହି ସୁନା ଝିଅଙ୍କଠୁ ସ୍ୱର୍ଣ୍ଣ ଆଶା ରଖିଛି ।ଭିନେଶଙ୍କ ଏହି ବିଜୟରେ ପଦକ ତ ପାଇବ ଭାରତ, ଏହା ରୌପ୍ୟ ହୋଇପାରେ କିମ୍ବା ସ୍ୱର୍ଣ୍ଣ । କିନ୍ତୁ, ପଦକ ଜିତିବା ପୂର୍ବରୁ ଭାରତର ଏହି ଲାଡଲିଙ୍କ ପାଖକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି । ତାଙ୍କ ବିଜୟରେ ଭାରତ ଏବେ ଝୁମୁଛି । ସ୍ୱର୍ଣ୍ଣ ଜିତିଲେ ଏହି ଖୁସି ଭାରତୀୟଙ୍କୁ ଆହୁରି ଆଲ୍ଲାଦିତ କରିବ ।