ଛତିଶଗଡରେ ବିଧାନସଭା ନିର୍ବାଚନ ପୂର୍ବରୁ ଦି କେରଳ ଷ୍ଟୋରୀ ଚଳଚ୍ଚିତ୍ର ନିର୍ମାଣ କରିଥିବା ଟିମ ବର୍ତ୍ତମାନ ଛତିଶଗଡର ବସ୍ତରକୁ ନେଇ ଏକ ଫିଲ୍ମ କରିବାକୁ ଘୋଷଣା କରିଛନ୍ତି । ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି। ଫିଲ୍ମର ନାମ ‘ବସ୍ତର’ ରଖାଯାଇଛି | ଏହି ଚଳଚ୍ଚିତ୍ରଟି ବସ୍ତରର ନକ୍ସଲ ସମସ୍ୟା ଉପରେ ଆଧାରିତ ହୋଇପାରେ। ଛତିଶଗଡରେ ପ୍ରଥମ ଥର ପାଇଁ ଏକ ବଡ ବଜେଟରେ ବଲିଉଡ ଫିଲ୍ମ ନିର୍ମାଣ କରାଯାଉଛି। ସେଥିପାଇଁ ପୋଷ୍ଟର ଲଞ୍ଚ ହେବା ପରଠାରୁ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଗତକାଲି ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଏହି ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ପୋଷ୍ଟରରେ ଘନ ଜଙ୍ଗଲ, ନକ୍ସଲମାନଙ୍କ ଉପସ୍ଥିତି, ବନ୍ଧୁକ ଏବଂ ଆତଙ୍କକୁ ଦର୍ଶାଯାଇଛି |
ଏହି ଚଳଚ୍ଚିତ୍ରର ପୋଷ୍ଟରରେ ଲେଖା ଯାଇଛି ଯେ, ‘ଲୁଚି ଯାଇଥିବା ସତ୍ୟ ଯାହା ଦେଶରେ ଝଡ ନେଇ ଆସିବ’ | ଟ୍ୱିଟରରେ ଫିଲ୍ମର ପୋଷ୍ଟର ରିଲିଜ୍ କରି ଏହାର କ୍ୟାପସନରେ ଲେଖା ହୋଇଛି ଯେ ଫିଲ୍ମରେ ଏକ ରୋଚକ ସତ୍ୟ ଘଟଣା ଦେଖିବାକୁ ମିଳିବ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଏବଂ ୫ ଏପ୍ରିଲ ୨୦୨୪କୁ ମନେ ରଖନ୍ତୁ | ଅର୍ଥାତ ଚଳଚ୍ଚିତ୍ର ନିର୍ମାତାମାନେ ୨୦୨୪ରେ ଫିଲ୍ମ ରିଲିଜ୍ କରିବେ। ତେବେ ଫିଲ୍ମରେ କେଉଁ ସବୁ ଅଭିନେତା/ଅଭିନେତ୍ରୀ ଅଭିନୟ କରିବେ ସେ ନେଇ ଜଣାପଡିନାହିଁ |