ଯେଉଁ ବହୁ ପ୍ରତୀକ୍ଷିତ ଶୁଭଦିନଟିକୁ ଭାରତୀୟ କ୍ରିକେଟ୍ପ୍ରେମୀ ଅପେକ୍ଷା କରିଥିଲେ ତାହାର ଅନ୍ତ ଘଟିଛି। ପୁଣି ଏମିତି ଢଙ୍ଗରେ ଓ ଏଭଳି ବଡ଼ ମଞ୍ଚରେ ଆସିଛି ଯେ ଚିର ସ୍ମରଣୀୟ ହୋଇରହିବ। ଭାରତୀୟ କ୍ରିକେଟ୍ର ମକ୍କା ଭାବେ ପରିଚିତ ଇଡେନ୍ ଗାର୍ଡେନ୍ସ ଯେ ବିରାଟ କୋହଲିଙ୍କ ହୃଦୟରେ ଅନେକ ଦିନ ଅନେକ ବର୍ଷ ରହିବ ଏହା ପକ୍କା ହୋଇଗଲା। ଯେଉଁ ଐତିହାସିକ ପଡ଼ିଆରୁ ବିରାଟ କୋହଲି ନିଜ ଦିନିକିଆର ଶତକ ଯାତ୍ରା ଆରମ୍ଭ କରିଥିଲେ ଏବେ ସେହି ବିଶ୍ବବିଖ୍ୟାତ ପଡ଼ିଆରେ ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କ ବିଶ୍ବ ରେକର୍ଡ ୪୯ତମ ଶତକର ସମକକ୍ଷ ହୋଇ ମାଇଲଖୁଣ୍ଟ ଛାଡ଼ିଛନ୍ତି। ପ୍ରଥମ ଥର ପାଇଁ ନିଜ ଜନ୍ମଦିନରେ ଦିନିକିଆ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ବିରାଟ କୋହଲି ମଧ୍ୟ ଏହାକୁ ଅଭୁଲା କରିଛନ୍ତି। ୩୫ତମ ଜନ୍ମଦିନରେ ୩୫ ଓଭର ପ୍ରାୟ ଖେଳି ଅପରାଜିତ ରହିବା ମଧ୍ୟ ବିରାଟଙ୍କ କିଂବଦନ୍ତି ମାନ୍ୟତା ଉପରେ ପୁଣି ଥରେ ମୋହର ଲଗାଇଦେଇଛି। ବିଶ୍ବକପ୍ର ସେମିଫାଇନାଲ୍ ଯୋଗ୍ୟତାକୁ ପୂର୍ବରୁ ନିଶ୍ଚିତ କରିଥିବା ଭାରତ ମଧ୍ୟ ବିରାଟଙ୍କୁ ଏହି ମ୍ୟାଚ୍ରେ ଆରାମରେ ଶତକ ପୂର୍ଣ୍ଣ କରିବାର ସୁଯୋଗ ଦେଇଥିଲା। ଚଳିତ ବିଶ୍ବକପ୍ରେ ଦ୍ବିତୀୟ ଶତକ ସହ ନିଜର ମୋଟ ରନ୍କୁ ୫୪୩ ରନ୍ରେ ପହଞ୍ଚାଇ ଦେଇଛନ୍ତି। ମାତ୍ର ୭ ରନ୍ ସହ ଆଗୁଆ ଅଛନ୍ତି କ୍ବିଣ୍ଟନ୍ ଡି’କକ୍ (୫୫୦)।
ସେହିଭଳି ଭାରତ ରବିବାର ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍ରେ ଏକତରଫା ଭାବେ ହରାଇ ପ୍ରଶଂସକଙ୍କୁ ଯୁଗଳ ଖୁସି ଦେଇଥିଲା।ହେଲମେଟ୍ ଖୋଲି ସେ ଏହା ଆଉ ଏକ ସାଧାରଣ ଶତକ ଭଳି ଅଭିବାଦନ ଗ୍ରହଣ କରିଥିଲେ। ବିଶେଷ ଉଲ୍ଲସିତ ନଥିଲେ କିନ୍ତୁ ଅସଲ ଲକ୍ଷ୍ୟ ବିଶ୍ବକପ୍ ଉପରେ ରହିଛି ବୋଲି ଆଭାସ ଦେଇଥିଲେ। ସଚିନ ତୁରନ୍ତ ଶୁଭେଚ୍ଛା ଜଣାଇ ଲେଖିଥିଲେ ‘ମୋତେ ୪୯ରୁ ୫୦ ବର୍ଷ ପୂର୍ଣ୍ଣ କରିବାକୁ ୩୬୫ ଦିନ ଲାଗିଥିଲା। ଆଶା କରୁଛି ତୁମକୁ ୪୯ରୁ ୫୦ କିଛି ଦିନ ଭିତରେ ମିଳିଯାଉ’। ୫୦ ବର୍ଷୀୟ ସଚିନଙ୍କ ମଜାଳିଆ ଶୁଭେଚ୍ଛା ଥିଲା ବୟସ ଓ ଶତକର ତୁଳନାରେ।