ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ଚମିକିଛି ବିରାଟ କୋହଲିଙ୍କ ବ୍ୟାଟ୍ । ଇତିହାସରେ ସାଇତା ରହିବ ଆଜିର ମ୍ୟାଚ। କାହିଁକି ନା ସବୁଠାରୁ ବଡ଼ ରେକର୍ଡ ହେଉଛି ବିରାଟ କୋହଲି ଆଜିର ମ୍ୟାଚରେ ନିଜର ୫୦ତମ ଶତକ ହାସଲ କରିବା ପରେ ସଚିନଙ୍କ ୪୯ଟି ଦିନିକିଆ ଶତକକୁ ଟପିଯାଇଛନ୍ତି । ୧୦୬ଟି ବଲରୁ ନିଜର ଶତକ ପୂରଣ କରିଥିଲେ ବିରାଟ । ସେହିପରି ସଚିନଙ୍କ ନାଁରେ ଥିବା ଗୋଟିଏ ବିଶ୍ବକପରେ ସର୍ବାଧିକ ରନ ସ୍କୋର (୬୭୩ ରନ) କରିବାର ରେକର୍ଡକୁ ବି ଟପିଯାଇଛନ୍ତି ବିରାଟ । ତେବେ ଆଜିର ମ୍ୟାଚରେ କୋହଲି ୧୧୭ ରନ କରି ଟିମ ସାଉଥିଙ୍କ ବଲରେ ଆଉଟ ହୋଇଛନ୍ତି । ଖାଲି ସେତିକି ନୁହେଁ, ଆଜିର ଇଂନିସରେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି ବିରାଟ କୋହଲି । ଚଳିତ ବିଶ୍ୱକପରେ ସର୍ବାଧିକ ରନ୍ କରିବା ସହିତ ଅନ୍ତର୍ଜାତୀୟ ରନରେ ସେ ଅଷ୍ଟ୍ରେଲିଆର ଦିଗ୍ଗଜ କ୍ରିକେଟର ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ୍ କରିବାର ରେକର୍ଡ ହାସଲ କରିଛନ୍ତି । ତାଙ୍କ ଉପରକୁ ଭାରତର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ରହିଛନ୍ତି ।ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି ସଚିନ ତେନ୍ଦୁଲକର । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଯେତେବେଳେ ମୁଁ ଆପଣଙ୍କୁ ଭାରତୀୟ ଡ୍ରେସିଂ ରୁମରେ ପ୍ରଥମ ଥର ଭେଟିଥିଲି, ସେତେବେଳେ ଦଳର ଅନ୍ୟ ଖେଳାଳିମାନେ ମୋ ପାଦ ଛୁଇଁବାର ମଜା ଉଡ଼ାଇଦେଇଥିଲେ । ସେଦିନ ମୁଁ ହସ ରୋକି ପାରିନଥିଲି । କିନ୍ତୁ ତୁମେ ତୁମର ଉତ୍ସାହ ଏବଂ ଦକ୍ଷତା ଦ୍ୱାରା ଶୀଘ୍ର ମୋ ହୃଦୟକୁ ସ୍ପର୍ଶ କରିଛ | ମୁଁ ବହୁତ ଖୁସି ଯେ ସେଦିନର ସେହି ତରୁଣ ଜଣକ ଆଜି ‘ବିରାଟ’ ଖେଳାଳି ହୋଇଛନ୍ତି ।