୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ ପ୍ରତ୍ୟୁଷରେ କଲିକତାର ସିମଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୂପେ ଯେଉଁ ଶିଶୁଟି ଜନ୍ମଗ୍ରହଣ କରିଥିଲା, ସେହି ନବଜାତକ ପ୍ରତି ଆମମାନଙ୍କର ପ୍ରଣତି । ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି, କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି । ଏହି ନବଜାତକ ନରେନ୍ଦ୍ରନାଥ ଦତ୍ତ, ଯିଏ ପରବର୍ତ୍ତୀ କାଳରେ ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ହୋଇଥିଲେ ।ସ୍ୱାମୀ ବିବେକାନନ୍ଦ ଥିଲେ ସର୍ବତ୍ୟାଗୀ ସନ୍ନ୍ୟାସୀ; କିନ୍ତୁ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ସେ ଥିଲେ ବିରାଟର ପୂଜାରୀ । ତାଙ୍କର ଭଗବାନ କୌଣସି ମନ୍ଦିର-ବିଶେଷରେ ପ୍ରତିଷ୍ଠିତ ନ ଥିଲେ; ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ ମନ୍ଦିରରେ । ଦେଶସେବା, ମାନବକଲ୍ୟାଣ ଓ ଭଗବତ୍ସାଧନା-ସେ ଏକ କରି ଦେଖିଥିଲେ । ଭାରତର ସମୂହ କଲ୍ୟାଣ ପାଇଁ ସେ ଦେଶବାସୀଙ୍କୁ ଶୁଣାଇଲେ-ଆଗାମୀ ପଚାଶ ବର୍ଷ ଦେଶମାତୃକାର ସେବା ହିଁ ତୁମମାନଙ୍କର ପରମ ସାଧନା ହେଉ । ମାତୃଭୂମି ହିଁ ଯେପରି ଏକମାତ୍ର ଆରାଧ୍ୟ ଦେବତା ହେଉ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ବିପୁଳ ଫଳ ହୋଇଥିଲା । ସେ ସ୍ବାଧୀନତା ସଂଗ୍ରାମରେ ସିଧାସଳଖ ଯୋଗ ଦେଇ ନ ଥିଲେ ସତ କିନ୍ତୁ ଭାରତର ଆଧ୍ୟାତ୍ମିକ ଜାଗରଣ ଜନକ ଭାବେ ସ୍ବାଧୀନତା ସଂଗ୍ରାମ ଉପରେ ତାଙ୍କର ସୁଦୂରପ୍ରସାରୀ ତଥା ଗଭୀର ପ୍ରଭାବକୁ ଐତିହାସିକ ତଥା ସ୍ବୟଂ ଜାତୀୟତାବାଦୀମାନେ ସ୍ବୀକାର କରିଛନ୍ତି।
ଦେହତ୍ୟାଗର ତିନିଦିନ ପୂର୍ବରୁ ଗଙ୍ଗାକୂଳରେ ତାଙ୍କର ସମାଧି ମନ୍ଦିର ସ୍ଥାନଟି ଦେଖାଇ କହିଥିଲେ, ‘ମୋର ଶରୀର ଗଲେ ଏହିଠାରେ ସତ୍କାର କରିବ ।’ ଜୁଲାଇ ୪ ତାରିଖ ଶୁକ୍ରବାର ୧୯୦୨ ମସିହା-ସେ ଖୁବ୍ ଭୋରରୁ ଉଠିଛନ୍ତି; ସମସ୍ତଙ୍କ ସଙ୍ଗେ ଚା ଖାଉ ଖାଉ କେତେ ମଜା ଗପ କଲେ । -କେତେ ପୁରୁଣା କଥା । ହସର ରୋଳ ଉଠିଲା । ସେ ପ୍ରଫୁଲ୍ଲ ଥିଲେ । ପରେ ଠାକୁର ଘରକୁ ଯାଇ କବାଟ ବନ୍ଦ କରି ଅନେକ ସମୟ ଧ୍ୟାନ କଲେ । ଗୋଟିଏ ଶ୍ୟାମାସଙ୍ଗୀତ ଗାଇ ଗାଇ ଠାକୁରଘରୁ ଓହ୍ଲାଇ ଆସିଲେ । ବାରଣ୍ଡାରେ ବୁଲୁ ବୁଲୁ ନିଜ ମନକୁ ମନ କହି ଉଠିଲେ, ‘ଯଦି ଆଉ ଗୋଟିଏ ବିବେକାନନ୍ଦ ଥାଆନ୍ତା, ତେବେ ବୁଝିପାରନ୍ତା ବିବେକାନନ୍ଦ କଅଣ କରିଗଲା ।’ ଦ୍ୱିପ୍ରହର ବେଳେ ସମସ୍ତଙ୍କ ସଙ୍ଗେ ଆନନ୍ଦରେ ଖାଇଲେ । ଉପରଓଳି ଏକାବେଳକେ ତିନି ଘଣ୍ଟା ଶାସ୍ତ୍ର ଅଧ୍ୟାପନା ପରେ ସ୍ୱାମୀ ପ୍ରେମାନନ୍ଦଙ୍କ ସଙ୍ଗେ ଗପ କରି ଚାଲି ଆସିଲେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼୍ ପର୍ଯ୍ୟନ୍ତ । ମନ୍ଦିରରେ ସାନ୍ଧ୍ୟ ଆରତ୍ରିକ ଆରମ୍ଭ ହେଲା । ସେ ନିଜ ଘରେ ଧ୍ୟାନରେ ବସିଲେ ଏବଂ ମହାସମାଧି ଯୋଗେ ସ୍ୱ-ସ୍ୱରୂପରେ ମିଳିତ ହେଲେ । ଅଖଣ୍ଡ ଘରର ଋଷି ଫେରିଗଲେ ଅଖଣ୍ଡ ଘରକୁ । ସେ କିନ୍ତୁ ଖଣ୍ଡେ ଚିଠିରେ ଲେଖିଥିଲେ, ‘ମୃତ୍ୟୁ ପରେ ମଧ୍ୟ ଜଗତର କଲ୍ୟାଣ ପାଇଁ କାମ କରୁଥିବି ।’ ତାଙ୍କର ଏହି ବାଣୀ ସାର୍ଥକ ହେଉ !