ଝାରସୁଗୁଡା: ସ୍ଥଗିତ ରହିଲା କିର୍ମିରା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ । ଝାରସୁଗୁଡ଼ା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଦେବାକୁ ସମିତି ସଭ୍ୟ କି ସରପଞ୍ଚ ଆସିନଥିଲେ । କେହି ନଆସିବାରୁ ଅପେକ୍ଷା କରି ଫେରିଯାଇଥିଲେ ନିର୍ବାଚନ ଅଧିକାରୀ ।
ସୂଚନା ଅନୁସାରେ ସକାଳ ୧୦ଟାରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାକୁ ଥିଲା । ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର, ପୁଲିସ ଉପସ୍ଥିତ ହୋଇଥିଲେ । କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ।
ଚକ୍ରାନ୍ତ କରି ସ୍ଥଗିତ କରାଯାଇଥିବା ଅଭିଯୋଗ ହୋଇଛି। ପିଆରଆଇ ସଦସ୍ୟ କେମିତି ପହଞ୍ଚିପାରିବେନି ସେ ନେଇ ହୋଇଥିଲା ଚକ୍ରାନ୍ତ। ବିଜେଡି ନେତା ବିଶାଲ ଦାସଙ୍କୁ ଛତିଶଗଡ଼ ପୋଲିସ ଏବେ ରଖିଛି ଅଟକ। ବିଶାଲଙ୍କ ସହ ପିଆରଆଇ ସଦସ୍ୟଙ୍କୁ ମଧ୍ୟ ଅଟକ ରଖାଯାଇଛି। ବିଜେଡି ପିଆରଆଇ ସଦସ୍ୟ ଆଣିଥିଲେ ଅନାସ୍ଥା ପ୍ରସ୍ତାବ। କିର୍ମିରା ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସାହୁଙ୍କ ବିରୋଧରେ ଆସିଥିଲା ଅନାସ୍ଥା । ଗତକାଲି ପିଆରଆଇ ସଭ୍ୟମାନେ ଆଶଂକା କରିଥିଲେ ଅଘଟଣ। ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ ପିଆରଆଇ ସଦସ୍ୟ। ଭିଡ଼ିଓ ଜାରି କରି ମାଗିଥିଲେ ସୁରକ୍ଷା । ପୋଲିସ ସୁରକ୍ଷା ଦେଇପାରିନଥିବା ସ୍ପଷ୍ଟ ହୋଇଛି। ସୁରକ୍ଷା ବଦଳରେ ପିଆରଆଇ ସଦସ୍ୟଙ୍କୁ ଅଟକ ରଖିଲା ପୋଲିସ।
ସେପଟେ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି । ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରେଇପାଲି ଥାନାରେ ବିଶାଲ ଦାସ ଅଟକ ଅଛନ୍ତି । କିର୍ମିରା ବ୍ଳକର ସମିତି ସଭ୍ୟ ଏବଂ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି । ଏକ ଭିଡିଓ ମାଧ୍ୟମରେ ଏହା କହିଛନ୍ତି ଵିଶାଲ ଦାସ । ରାତି ୨ଟାରୁ ସମସ୍ତଙ୍କୁ ଅଟକ ରଖାଯାଇଥିବା ବିଶାଲ ସୂଚନା ଦେଇଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନକୁ ବେଆଇନ କହିଛନ୍ତି ବିଶାଲ ।