ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ବବର୍ତ୍ତୀ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳରେ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ଯାଏ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ରହୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ପୁରୀ, ଜଗତସିଂହପୁର, ଖୋର୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଓ ବରଗଡ଼ ଆଦି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଗଞ୍ଜାମ, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଦେବଗଡ଼ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ହେତୁ ଆକସ୍ମିକ ବନ୍ୟା ସ୍ଥିତି ଉପୁଜିପାରେ। ତଳୁଆ ଅଞ୍ଚଳରେ ପାଣି ଜମିବା ସହ ସହର ଅଞ୍ଚଳରେ ଟ୍ରାଫିକ୍ଜନିତ ସମସ୍ୟା ଉପୁଜିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଯାଇଛି। ଅନ୍ୟପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବାରୁ ପାଗ ମେଘୁଆ ସହ ବର୍ଷା ଜାରି ରହିଛି।