ରାକ୍ଷୀ ବାନ୍ଧିବାପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି । ସେହିପରି ରାକ୍ଷୀ ପୂର୍ଣ୍ଣିମାର ଅନ୍ୟନାମ ଗହ୍ମା ପୂର୍ଣ୍ଣିମା । ଯାହାକୁ ହଳମୂଷଳଧାରୀ ଭଗବାନଙ୍କ ବଳଭଦ୍ରଙ୍କ ଜନ୍ମତିଥି ଭାବେ ଗ୍ରହଣ କରାଯାଏ । ତେଣୁ ଏହି ଦିନ ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ । ବିଶେଷଜ୍ଞଙ୍କ ମତରେ, ଭଦ୍ରାକାଳରେ ରାକ୍ଷୀ ବାନ୍ଧିବା ଶୁଭ ହେବ ନାହିଁ । ତେବେ, ଭଦ୍ରା କିଏ, ଭଦ୍ରାକାଳ କ’ଣ ? କାହିଁକି ଏହି ସମୟରେ ରାକ୍ଷୀ ବାନ୍ଧିବା ନିଷେଧ ?
ଭଦ୍ରା କିଏ ? ଭଦ୍ରାକାଳ କ’ଣ ?
ପୁରାଣ ଅନୁଯାୟୀ ଭଦ୍ରା ଶନିଦେବଙ୍କ ଭଉଣୀ ଏବଂ ସୂର୍ଯ୍ୟ ଭଗବାନଙ୍କ ଝିଅ। ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ । ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡରକୁ ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ । ଏଥିରେ 11ଟି କରଣ ରହିଥାଏ, ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା ।
କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ?
ଭଦ୍ରାକାଳରେ ଯାତ୍ରା, ଶୁଭ କାମ ଇତ୍ୟାଦି ନିଶେଦ୍ଧ । ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । କାରଣ ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ଶୃପଣେଖା ଏହି ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ । ଯାହା ପରେ ରାବଣର ସର୍ବନାଶ ହୋଇଥିଲା । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ । କିନ୍ତୁ ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ, କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ । ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ ।