ସାରା ଦେଶରେ ମ୍ୟାଲେରିଆ ରୋଗ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମ୍ୟାଲେରିଆର ଦ୍ୱିତୀୟ ଟୀକାକୁ ମଞ୍ଜୁରୀ ଦେଇଛି । ମ୍ୟାଲେରିଆ ଭଳି ରୋଗ ସହ ଲଢିବା ପାଇଁ ଏବେ R21/Matrix-M ଟୀକାକୁ ସ୍ୱୀକୃତି ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ଏହି ଟୀକା ବିଭିନ୍ନ ଦେଶରେ ମ୍ୟାଲେରିଆ ସହ ଲଢିବା ପାଇଁ ସହାୟକ ହୋଇପାରେ । ତେବେ ଏହା ପୂର୍ବ ଟୀକା ଅପେକ୍ଷା ଶସ୍ତା ଏବଂ ଅଧିକ ପ୍ରଭାବଶାଳୀ ହେବ ବୋଲି କୁହାଯାଇଛି । ୨ ବିଶେଷଜ୍ଞ ଦଳର ପରାମର୍ଶ ପରେ ହିଁ ଏହି ଭ୍ୟାକ୍ସିନକୁ ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ମଞ୍ଜୁରୀ ଦେଇଥିବା କହିଛନ୍ତି WHOର ମହାନିର୍ଦ୍ଦେଶକ ଟେଡ୍ରସ ଅଧାନମ ଘେବ୍ରେୟେସସ ।ତେବେ ମ୍ୟାଲେରିଆର ଏହି R21/Matrix-M ଭ୍ୟାକ୍ସିନକୁ RTS,S/AS01 ମଧ୍ୟ କୁହାଯାଇଥାଏ । ଏହା ମ୍ୟାଲେରିଆ ବିପକ୍ଷରେ ୭୦-୮୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଥାଏ । ଏହି ଟୀକା ପିଲାମାନଙ୍କ ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହୋଇପାରେ । ଗମ୍ଭୀର ପରିସ୍ଥିତିରୁ ଏମାନଙ୍କୁ ସୁରକ୍ଷା ଦେବାରେ ବିଶେଷ ପ୍ରଭାବୀ ହୋଇପାରେ ଏହି ଭ୍ୟାକ୍ସିନ । WHO କହିଛି ଯେ ମ୍ୟାଲେରିଆ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଥିବା ଦେଶରେ ବ୍ୟବହାର ପାଇଁ R21/Matrix-M ଟୀକା ଉପଲବ୍ଧ ହେବ ।