ଭୁବନେଶ୍ବର : ଆସନ୍ତା ୨୬ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ପୂର୍ବରୁ ୨୫ରେ କଂଗ୍ରେସ ଏବଂ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ କଂଗ୍ରେସ ଏବଂ ବିଜେଡି ଅନାହାର ମୃତ୍ୟୁ, ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ପରିସ୍ଥିତି, ନିଯୁକ୍ତି ଏବଂ ଶିଶୁ ବିକ୍ରି ପ୍ରସଙ୍ଗ ଗୃହରେ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି। ଆଗାମୀ ଅଧିବେଶନରେ ଶାସକ ଦଳକୁ ଘେରିବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ। ମୁଖ୍ୟତଃ କନ୍ଧମାଳ ଜିଲାରେ ଆମ୍ବ ଟାକୁଆ ଜାଉ ଖାଇ ୩ଜଣ ଆଦିବାସୀଙ୍କ ମୃତ୍ୟୁ ପ୍ରସଙ୍ଗ, ଦରଦାମ ବୃଦ୍ଧି, ଖଣିଜ ସମ୍ପଦକୁ ଘରୋଇ କମ୍ପାନୀ ହାତରେ ଟେକି ଦେବା ଭଳି ପ୍ରସଙ୍ଗ ଉତ୍ଥାପନ କରି ସରକାରଙ୍କୁ ଘେରିବାକୁ ରଣକୌଶଳ ତିଆରି କରୁଛି। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡ଼ାମ କହିଛନ୍ତି, ରାଜ୍ୟରେ ଏବେ ବି ଅନାହାର ମୃତ୍ୟୁ ଦେଖିବାକୁ ମିଳୁଛି। ଆଦିବାସୀମାନେ ସ୍ବାଭିମାନୀ। ଘରେ କିଛି ଖାଇବା ନଥିଲେ ପଡ଼ୋଶୀଙ୍କୁ ମାଗନ୍ତି ନାହିଁ। ରାଜ୍ୟ ସରକାର କେୱାଇସି ଅପଡେଟ୍ ନାଁରେ ରେସନ ଚାଉଳ ବଣ୍ଟନ କରିବାରେ ୨ରୁ ୩ମାସ ବିଳମ୍ବ କରିବା ଯୋଗୁଁ ବାଧ୍ୟ ହୋଇ ଆଦିବାସୀ ଆମ୍ବ ଟାକୁଆ ଜାଉ ଖାଇଥିଲେ।