ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍କୁ ସୋମବାର କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ଏହି ବିଲ୍ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’। ତେବେ ଏହି ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ପ୍ରଥମ ଜନଗଣନା ଆଧାରରେ ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ମଙ୍ଗଳବାର ନୂତନ ସଂସଦ ଭବନରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଆଗତ କରିଥିଲେ।ଏହି ବିଲ୍ ଲୋକସଭା, ଦିଲ୍ଲୀ ବିଧାନସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରିବ। କିନ୍ତୁ ରାଜ୍ୟସଭା କିମ୍ବା ରାଜ୍ୟ ବିଧାନ ପରିଷଦଗୁଡ଼ିକ ପ୍ରତି ଏହି କୋଟା ପ୍ରଯୁଜ୍ୟ ହେବ ନାହିଁ।
ଏହି କୋଟାରୁ ଏକତୃତୀୟାଂଶ ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।
ଆସନ୍ତା ଜନଗଣନା ତଥ୍ୟ ପ୍ରକାଶ ପାଇବା ପରେ ପୁନଃସୀମାନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଯାଇ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।