ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବ ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩। ବର୍ତ୍ତମାନ ଏହି ବିଶ୍ୱକପକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ‘କ୍ରିକବଜ୍ ଡଟ୍ କମ୍’ର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୫ତାରିଖରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ ଏବଂ ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ରେ ଖେଳାଯିବ।ଆଇସିସି ଓଡିଆଇ କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ପାକିସ୍ତାନ ଦଳ ମଧ୍ୟ ଭାଗ ନେବାକୁ ଯାଉଛି। ଅକ୍ଟୋବର ୫ରେ ବିଶ୍ବକପ ଆରମ୍ଭ ହେବା ପରେ ଅକ୍ଟୋବର ୧୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ବିଶ୍ବକପର ପ୍ରଥମ ଓ ଶେଷ ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବୋଲି କୁହାଯାଉଛି। ଏହି ବିଶ୍ବକପରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ପାଞ୍ଚ ଥର ଚାମ୍ପିଅନ୍ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ବୋଲି ଜଣାପଡ଼ିଛି।