ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ପାଳନ କରାଯାଏ। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା। ପ୍ରତିବର୍ଷ ଭିନ୍ନ ଭିନ୍ନ ଥିମ୍କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ର ଥିମ ହେଉଛି ‘ମାନସିକ ସ୍ୱାସ୍ଥ୍ୟ ହେଉଛି ଏକ ବିଶ୍ୱବ୍ୟାପୀ ମାନବ ଅଧିକାର'(Mental health is a universal human right)। ଆଜି ବି ଲୋକମାନେ ଉଦାସୀନତା ଏବଂ ଚାପକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭାବରେ ଗ୍ରହଣ କରନ୍ତି ନାହିଁ ଏବଂ ଏହାକୁ ଅଣଦେଖା କରନ୍ତି। କିନ୍ତୁ ଏହି ସମସ୍ୟା ଭବିଷ୍ୟତରେ ଗମ୍ଭୀର ପରିଣାମ ଆଣିପାରେ। ଲୋକମାନଙ୍କୁ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱକୁ ବୁଝାଇବା ପାଇଁ ଏହି ଦିନ ଆରମ୍ଭ ହୋଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସେମିନାର ମାଧ୍ୟମରେ ଲୋକମାନଙ୍କୁ ଏନେଇ ସଚେତନ କରାଯାଏ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଟିପ୍ସ ଦିଆଯାଏ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଦୂର ପାଇବା ପାଇଁ ପଦକ୍ଷେପ ମଧ୍ୟ ଦିଆଯାଏ।
ପ୍ରଥମେ ୧୦ ଅକ୍ଟୋବର ୧୯୯୨ରେ ବିଶ୍ୱ ଫେଡେରେଶନ ଏହି ଦିବସ ଆରମ୍ଭ କରିଥିଲା। ପ୍ରଥମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ବିନା କୌଣସି ବିଷୟବସ୍ତୁ ବା ଥିମରେ ପାଳନ କରାଯାଉଥିଲା। ଲୋକମାନଙ୍କୁ ମାନସିକ ସ୍ୱସ୍ଥ୍ୟର ପ୍ରାସଙ୍ଗିକତାକୁ ବୁଝାଇବା ପାଇଁ ମାନସିକ ସ୍ୱାସ୍ଥ୍ୟ ଦିବସ ଆରମ୍ଭ ହୋଇଥିଲା। ଏହି ଅଭିଯାନର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୧୯୯୪ରେ ପ୍ରଥମ ଥର ପାଇଁ ଏକ ଥିମ୍(ବିଷୟବସ୍ତୁ) ଚୟନ କରାଯାଇଥିଲା। ପ୍ରଥମ ବିଷୟବସ୍ତୁ ଥିଲା ସମଗ୍ର ‘ବିଶ୍ୱରେ ମାନସିକ ସ୍ୱାସ୍ଥ୍ୟ ସେବାର ଉନ୍ନତି ଆଣିବା।’
ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ଏକ ବଡ଼ ଆହ୍ୱାନ। କାରଣ ବର୍ତ୍ତମାନ ସମୟରେ ଚାପ, ଚିନ୍ତା ଏବଂ ଉଦାସୀନତା ଗମ୍ଭୀର ସମସ୍ୟା ଭାବେ ଉଭାହୋଇଛି। ତଥାପି ଲୋକମାନେ ମାନସିକ ରୋଗକୁ ଗୁରୁତର ରୂପେ ନିଅନ୍ତି ନାହିଁ। ବିଶେଷ କରି ଏହି ସମସ୍ୟାକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବା ସମୟରେ ଲଜ୍ଜାକର ମନେକରନ୍ତି। ଫଳରେ ମାନସିକ ରୋଗ ଧୀରେ ଧୀରେ ଗମ୍ଭୀର ହୋଇଯାଏ, ଆଉ ଜୀବନକୁ ବିପଦରେ ପକାଏ।
ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ ଅକ୍ଟୋବର ୧୦ ତାରିଖକୁ ବିଶ୍ୱ ମାନିସକ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଏ।