ପ୍ରତିବର୍ଷ ମେ ୩୧ ତାରିଖକୁ ‘ବିଶ୍ବ ତମାଖୁ ବର୍ଜନ ଦିବସ’ ବା ‘ୱାର୍ଲଡ୍ ନୋ ଟୋବାକୋ ଡେ’ ଭାବେ ପାଳନ କରାଯାଏ। ଲୋକଙ୍କୁ ତମାଖୁ ସେବନ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଏହାର ଭୟାବହତା ଏବଂ ଏଥିରୁ ଦୂରେଇ ରହିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ହୋଇଥିଲେ ମଧ୍ୟ କିଛି ଲୋକ ନିଶାରେ ପଡ଼ି ଏହାକୁ ସେବନ କରୁଛନ୍ତି, ଆଉ କିଛି ଲୋକ ତମାଖୁର ଖରାପ ପ୍ରଭାବ ବିଷୟରେ ଜାଣି ନ ପାରି ସେବନ କରୁଛନ୍ତି। ଫଳରେ ସାରା ବିଶ୍ବରେ ଫୁସ୍ଫୁସ୍ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିରୁ ମନୁଷ୍ୟ ସମାଜକୁ ରକ୍ଷା କରିବା ପାଇଁ ବିଶ୍ବବ୍ୟାପୀ ପ୍ରତିବର୍ଷ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି।
ଜାଣିଲେ ଆଶ୍ଚର୍ଯ୍ୟଲାଗେ ଯେ, ତମାଖୁରେ ୭ ହଜାରରୁ ଅଧିକ ବିଷାକ୍ତ ପଦାର୍ଥ ରହିଛି। ତହିଁରୁ ୬୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ତମାଖୁ ସେବନ ଦ୍ବାରା ମୁଖ୍ୟତଃ ଫୁସ୍ଫୁସ୍, ମୁଖଗହ୍ବର, ଜିଭରେ କର୍କଟ ରୋଗ ଦେଖାଦେଇଥାଏ। ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ଗର୍ଭପାତ, ସମୟ ପୂର୍ବରୁ ଜନ୍ମ ଓ ମୃତ ଛୁଆ ମଧ୍ୟ ଜନ୍ମ ହେବାର ଆଶଙ୍କା ରହିଛି। ତମାଖୁ କେବଳ ଆମର ସ୍ୱାସ୍ଥ୍ୟ ନୁହେଁ, ବରଂ ପରିବେଶକୁ କ୍ଷତିଗ୍ରସ୍ତ କରିଥାଏ। ଏଥିରେ ମୁଖ୍ୟ ରସାୟନ ହେଉଛି ନିକୋଟିନ୍। ଯାହାର ଅତ୍ୟଧିକ ସେବନ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଅନ୍ୟପଟେ କ୍ରମାଗତ ତମାଖୁ ସେବନ ଦ୍ବାରା ମଣିଷର ପ୍ରତିଟି ଅଙ୍ଗ ପ୍ରଭାବିତ ହୁଏ। ଯାହାଫଳରେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼େ। ଏ ଦୃଷ୍ଟିରୁ ଏହାକୁ ‘ନିରବ ଘାତକ’ ବୋଲି ମଧ୍ୟ କୁହାଯାଏ। ପ୍ରତିବର୍ଷ ସାରା ବିଶ୍ବରେ ତମାଖୁ ସେବନରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ୧୯୮୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତମାଖୁର ବ୍ୟବହାର ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୮୮ ମସିହା ମେ ୩୧ ତାରିଖରେ ପ୍ରଥମ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା। ତମାଖୁ ସେବନ ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଏବଂ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ତମାଖୁ ସେବନ ବନ୍ଦ କରିବାରେ ସହାୟତା କରିବା ଏହି ଦିବସ ପାଳନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।