ସୋସିଆଲ ମିଡିଆ ଆଜି ଦୁନିଆକୁ ଦେଖିବାର ଏକ ନୂତନ ଜରିଆ । ଏହାକୁ ମାଧ୍ୟମ କରି ଅଧିକାଂଶ ଲୋକ ଆଗକୁ ବଢିବାର ପ୍ରୟାସ କରୁଛନ୍ତି । ହେଲେ ଯେଉଁ ସୋସିଆଲ ମିଡିଆକୁ ଆପଣମାନେ ବ୍ୟବହାର କରୁଛନ୍ତି ତା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଦିନ ରହିଛି । ଯାହାକୁ ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ବା ଓାଲ୍ଡ ସୋସିଆଲ ମିଡିଆ ଡେ କୁହାଯାଉଛି । ପ୍ରତିବର୍ଷ ଜୁନ୍ ମାସ ୩୦ ତାରିଖରୁ ‘ସାମାଜିକ ଗଣମାଧ୍ୟମ ଦିବସ’ ପାଳନ କରାଯାଇ ଆସୁଅଛି ।ଆଗରୁ ଟେଲିଗ୍ରାମ, ଟେଲିଫୋନର ଯୁଗ ଥିଲା । ଏହାପରେ ପରେ ଫେକ୍ସ ମେସିନ୍ ଓ ତା’ପରେ ସୋସିଆଲ୍ ମିଡିଆର ଆର୍ବିଭାବ ହୋଇଛି । ଯାହା ସମସ୍ତଙ୍କୁ ଆକୃଷ୍ଟ କରିପାରିଛି ।
୨୦୧୦ ମସିହାର ପାଳିତ ହୋଇ ଆସୁଥିବା ଏହି ଦିବସ ସମ୍ପର୍କରେ ଜାଣନ୍ତୁ…
ଏହି ଦିବସ ପାଳନକୁ ପ୍ରଥମେ ମାସେବଲ୍ ବ୍ୟାକ୍ ୱେସାଇଟ୍ ପକ୍ଷରୁ ଆରମ୍ଭ କରାଯାଇଥିଲା । ସାରା ବିଶ୍ୱରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ୟୁଜର୍ସଙ୍କ ସଂଖ୍ୟା ପ୍ରାୟ ୩୦୦ କୋଟିରୁ ଅଧିକ ରହିଛି । ଏପରିକି ପ୍ରତି ସେକେଣ୍ଡରେ ପାଖାପାଖି ୧୦ ଜଣ ନୂଆ ଭାବେ ସାମାଜିକ ଗଣମାଧ୍ୟମରେ ଯୋଡି ହେଉଛନ୍ତି । ଏକ ସର୍ଭେ ଅନୁଯାୟୀ ବିଶ୍ୱର ୯୧ ପ୍ରତିଶତ ରିଟେଲ୍ ବ୍ରାଣ୍ଡ୍ ନି ନିଜର ବ୍ୟବସାୟ ଲାଗି ଅନେକ ସାମାଜିକ ଗଣମାଧ୍ୟମର ସାହାର୍ଯ୍ୟ ନେଉଛନ୍ତି । ସେଥିମଧ୍ୟରେ ଫେସବୁକ୍ ଓ ହ୍ୱାଟ୍ସଆପ୍ ଅନ୍ୟତମ । ଏହି ୨ ଆପ୍ ମାଧ୍ୟମରେ ପ୍ରତିଦିନ ପାଖାପାଖି ୬ ହଜାର କୋଟିରୁ ଅଧିକ ବାର୍ତ୍ତା ପ୍ରସାରିତ ହେଉଛି । ୨୦୦୨ ମସିହାରେ ଫ୍ରେଣ୍ଡଷ୍ଟର ଓ ଲିଙ୍କଡିନ୍ ଲଞ୍ଚ ହେବା ପରେ ୨୦୦୩ ମସିହାରେ ମାଇଁସ୍ପେଶ ଆସିଥିଲା । ଏହାପରେ ପରେ ୨୦୦୪ ମସିହାରେ ଫେସବୁକ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲଞ୍ଚ ହୋଇଥିଲା । ବର୍ତ୍ତମାନ ସମୟରେ ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ଭଳି ସୋସିଆଲ୍ ମିଡିଆ ଯୁବ ପିଢିଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଛି ।
ସୋସିଆଲ ମିଡ଼ିଆର ଅପବ୍ୟବହାର
ଆଜିକାଲି ଅଧିକାଂଶ ପିଲା ନିଜର ମୋବାଇଲ୍ରେ ସବୁବେଳେ ଅନ୍ଲାଇନ୍ରେ ରହି ସାଙ୍ଗ ସହ ଅଯଥା ଚାଟିଂରେ ସମୟ ନଷ୍ଟ କରୁଛନ୍ତି। ଦିନର ପ୍ରାୟ ଅଧାଅଧି ସମୟ କଟିଯାଉଛି ସୋସିଆଲ ମିଡ଼ିଆରେ। ବୃତ୍ତିଗତ ଶିକ୍ଷାରେ ପାଠପଢୁଥିବା ପିଲାମାନେ ସୋସିଆଲ ମିଡ଼ିଆର ଭରପୂର ଫାଇଦା ନେବା କଥା। ହେଲେ ଅଧିକାଂଶ ପିଲା ଏହି ସାଇଟ୍ରେ ପାଠ ଓ କ୍ୟାରିୟର କଥା ଆଦାନ ପ୍ରଦାନ କରିବା ବଦଳରେ ଅନ୍ୟ ଖରାପ କଥାରେ ବ୍ୟସ୍ତ ରହୁଛନ୍ତି। ଏଥିପ୍ରତି ସଜାଗ ନ ହେଲେ ଏହା ପିଲାଙ୍କ ସୁନେଲି ଭବିଷ୍ୟତ ପ୍ରତି କ୍ଷତି ପହଞ୍ଚାଇବାର ଭୟ ରହିଛି।କଲେଜପଢ଼ୁଆ ପିଲାଙ୍କ ଲାଗି ସୋସିଆଲ ନେଟ୍ୱର୍କ ପାଲଟିଛି ନିଶା। ଆଧୁନିକ ପିଢ଼ି ନିଜ ଆଖପାଖରେ ଥିବା ସମପିଢ଼ିଙ୍କ ସହ ବନ୍ଧୁତା ରଖିବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ଦୂରଦୂରାନ୍ତର ଅଜଣା ପିଲା ସହ ବନ୍ଧୁତା କରୁଛନ୍ତି। ଏହି ଅଜଣା ଅର୍ବାଚୀନ ବନ୍ଧୁଙ୍କ ସହ ଫଟୋ, ଭିଡିଓ ତଥା ଜୀବନର ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଶେୟାର କରିବା ସହ ପସନ୍ଦ, ନାପସନ୍ଦ ଓ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ସେମାନେ ବିନା ଦ୍ୱିଧାରେ ପରସ୍ପର ମଧ୍ୟରେ ବାଣ୍ଟୁଛନ୍ତି, ଫଳରେ ସେମାନେ ଅନାୟାସରେ ଠକାମିରେ ପଡୁଛନ୍ତି।
ଅପବ୍ୟବହାରରୁ ବର୍ତ୍ତିବା ପାଇଁ ଦରକାର କେବଳ ନିଜ ଉପରେ ନିୟନ୍ତ୍ରଣ। କିପରି ଓ କେତେ ସମୟ ବ୍ୟବହାର କଲେ ତାହା ମନ ଓ ସ୍ବାସ୍ଥ୍ୟ ପ୍ରତି ଠିକ୍ ରହିବ, ତାହା ନିର୍ଭର କରେ ନିଜର ମାନସିକତା ଉପରେ। ଯେ କୌଣସି ଜିନିଷର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି। ତେବେ ଏହାକୁ କେଉଁ ଭାବରେ ବ୍ୟବହାର କରିବେ, ତାହା ନିଜର ଦାୟିତ୍ୱ ହେବା ଉଚିତ।