ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ରେ ପାକିସ୍ତାନ ଦଳ ଖେଳିବ କି ନାହିଁ ସେ ନେଇ ଏବେବି ଅନିଶ୍ଚିତତା ଜାରି ରହିଛି । କାରଣ ପ୍ରତିଦିନ ପାକିସ୍ତାନ ବୋର୍ଡ ନୂଆ ନୂଆ ସର୍ତ୍ତ ଆରୋପ କରୁଛି । ଆଜି ଖବର ଆସିଛି ଯେ ପାକିସ୍ତାନ ଆଇସିସିଠାରୁ ଲିଖିତ ପ୍ରତିଶ୍ରୁତି ମାଗିଛି, ଯେ ଭାରତରେ ପାକିସ୍ତାନ ଖେଳାଳିଙ୍କୁ କଡ଼ା ସୁରକ୍ଷା ଦିଆଯାଉ । ପିସିବି ପକ୍ଷରୁ କୁହାଯାଇଛି ଯେ ବିଶ୍ୱକପ୍ ଖେଳିବା ପାଇଁ ପାକିସ୍ତାନ ଟିମ୍ ଭାରତ ଆସିବ କି ନାହିଁ ତାହା ସଂପୂର୍ଣ୍ଣଭାବେ ପାକିସ୍ତାନ ସରକାରଙ୍କ ହାତରେ ରହିଛି । ବୋର୍ଡ ନିଜ ସରକାରଙ୍କୁ ଚିଠି ଲେଖି ଟିମ୍ କୁ ଭାରତରେ ଦେଖିବା ପାଇଁ ଅନୁମତି ମାଗିଥିଲା। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାକିସ୍ତାନ ସରକାର ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିକୁ ଲିଖିତ ଆଶ୍ୱାସନା ମାଗିଛନ୍ତି। ପିସିବି ଏବଂ ପାକିସ୍ତାନ ସରକାର ଭାରତରେ ପାକିସ୍ତାନ କ୍ରିକେଟ୍ ଦଳକୁ ଦିଆଯାଇଥିବା ସୁରକ୍ଷା କୁ ନେଇ ଲିଖିତ ପ୍ରତିଶ୍ରୁତି ମାଗିଛନ୍ତି ଯେ, ଭାରତରେ ଥିବା ତାଙ୍କ ଦଳର ଖେଳାଳିଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ମିଳିବ । ଲିଖିତ ଭାବେ ଏହି ପ୍ରତିଶ୍ରୁତି ଦିଆଯିବା ପରେ ହିଁ ଟିମ୍ କୁ ଭାରତ ଗସ୍ତ ପାଇଁ ଅନୁମତି ମିଳିବ ବୋଲି ପିସିବି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ପାକିସ୍ତାନ ବୋର୍ଡ କେତେକ ମ୍ୟାଚର ସ୍ଥାନ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ ବି ଆଇସିସି ତାହାକୁ ଅଗ୍ରାହ୍ୟ କରିଦେଇଥିଲା ।