World Malaria Day 2023: ମ୍ୟାଲେରିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ସହ ତାହାର ନିୟନ୍ତ୍ରଣ ଓ ସଂପୂର୍ଣ୍ଣ ନିରାକରଣ ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍ଓ) ପକ୍ଷରୁ ପ୍ରତି ବର୍ଷ ଆଜିର ଦିନକୁ ‘ବିଶ୍ବ ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଉଛି। ଯଦିଓ ମାଈ ଏନୋଫିଲିସ ମଶା ଦ୍ବାରା ବାହିତ ପ୍ଲାଜମୋଡିଅମ୍ ପରଜୀବୀ ଦ୍ବାରା ସଂକ୍ରମିତ ଏହି ରୋଗ ନିରାକରଣଯୋଗ୍ୟ, ତଥାପି ଅଦ୍ୟାବଧି ଶହେ ପାଖାପାଖି ଦେଶରେ ଏହା ବ୍ୟାପୁଛି ଏବଂ ପ୍ରତି ବର୍ଷ ପ୍ରାୟ ୯ ଲକ୍ଷ ଲୋକଙ୍କର ଏଥିରେ ପ୍ରାଣ ଯାଉଛି। ଏକ ତଥ୍ୟ ଅନୁସାରେ କେବଳ ୨୦୧୨ ମସିହାରେ ୬୨,୭୦୦ ଜଣ ମ୍ୟାଲେରିଆର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ।
ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଫ୍ରିକୀୟ ଶିଶୁ ତଥା ଏସିଆ ଓ ଲାଟିନ ଆମେରିକା ନିବାସୀ । ମଧ୍ୟ ଇଉରୋପର କିଛି ଅଞ୍ଚଳ ମଧ୍ୟ ଏହି ରୋଗର କବଳିତ । ଆଫ୍ରିକା ମ୍ୟାଲେରିଆ ଦିବସ ପାଳନ ପାଇଁ ପ୍ରଥମେ ହୋଇଥିବା ପ୍ରୟାସରୁ ବିଶ୍ୱ ମ୍ୟାଲେରିଆ ଦିବସର ସୃଷ୍ଟି ।
ତେବେ ୨୦୦୭ରେ ଅନୁଷ୍ଠିତ ଡବଲ୍ୟୁଏଚ୍ଓର ୬୦ତମ ଅଧିବେଶନରେ ମ୍ୟାଲେରିଆ ସମ୍ପର୍କରେ ବିଶ୍ବସ୍ତରୀୟ ଜନଜାଗରଣ ସହ ନିରାକରଣ ପାଇଁ ସମ୍ମିଳିତ ଉଦ୍ୟମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଉକ୍ତ ଦିବସକୁ ‘ବିଶ୍ବ ମ୍ୟାଲେରିଆ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଶୂନ ମ୍ୟାଲେରିଆ ପାଇଁ ସମୟ ଉପନୀତ: ପୁଞ୍ଜି ନିବେଶ କର, ନୂତନତା ଆଣ ଏବଂ କାର୍ଯ୍ୟକାରୀ କର’। ଅର୍ଥାତ୍ ମ୍ୟାଲେରିଆ ସଂକ୍ରମଣକୁ ଶୂନ କରିବା ଲାଗି ପ୍ରକୃଷ୍ଟ ସମୟ ଆସିଛି, ତେବେ ସେଥିପାଇଁ ଆବଶ୍ୟକ ଅର୍ଥ ଖଟାଇବା ସହ ନୂତନ ପଦ୍ଧତି ଆବିଷ୍କାର ଓ କାର୍ଯ୍ୟାନ୍ବୟନ କରିବା ଜରୁରୀ।