ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଛି। ଏଭଳି ଗ୍ରୀଷ୍ମପ୍ରବାହ ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ସଂଖ୍ୟା ବୃଦ୍ଧି ସହ ଅସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ରାଜ୍ୟରେ ବର୍ତ୍ତମାନ ଅଂଶୁଘାତ ଜନିତ ଅସୁସ୍ଥ ସଂଖ୍ୟା ୧୪୪୫ ଛୁଇଁଛି। ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବଳବତ୍ତର ରହିଛି। ଶୁକ୍ରବାର ପରି ଶନିବାର ମଧ୍ୟ ଟିଟିଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ପାରଦ ୪୬ ଡିଗ୍ରୀ ଛୁଇଁଛି। ୧୨ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଆଜି (ରବିବାର) ମଧ୍ୟ ପଶ୍ଚିମ ଓଡ଼ିଶାର ବରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡା ଜିଲାକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ସୋମବାରରୁ ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା କମିବା ସମ୍ଭାବନା ରହିଛି। ଦିନ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀକୁ ଖସି ଆସିବ ଏବଂ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ଆଜି ଟିଟିଲାଗଡ, ନୂଆପଡ଼ା, ବଲାଙ୍ଗିର ଏବଂ ବରଗଡରେ ଦିନ ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ ରହିବା ସମ୍ଭାବନା ରହିଛି। ଉପରୋକ୍ତ ଅଞ୍ଚଳରେ ଜନସାଧାରଣ ସତର୍କ ରହିବା ସହିତ ଅତି ଜରୁରୀ କାମ ନଥିଲେ ପଦାକୁ ବାହାରିବାକୁ ମନା କରାଯାଇଛି। ଗତ କିଛି ଦିନ ହେବ ଗ୍ରୀଷ୍ମପ୍ରବାହ ଲାଗି ରହିବା ଯୋଗୁଁ ଅନେକ ସ୍ଥାନରେ ଅଂଶୁଘାତ ଭଳି ଖବର ସାମ୍ନାକୁ ଆସୁଛି। ଅଂଶୁଘାତ ଏଡ଼ାଇବା ପାଇଁ ଟାଣ ଖରାରେ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଯଦି ଜରୁରୀ କାମରେ ପଦାକୁ ବାହାରିଲେ ତେବେ ହାତରେ ଛତା, ପାଣି ନେବାକୁ କୁହାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ। କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା, ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଉପରୋକ୍ତ ଅଞ୍ଚଳଗୁଡିକ ମଧ୍ୟରୁ କିଛି ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଅନ୍ୟପଟେ ଉପକୂଳ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୮୦ପ୍ରତିଶତ ରହୁଥିବାରୁ ପ୍ରବଳ ମାତ୍ରାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲାକୁ ଉଷ୍ଣ-ଆର୍ଦ୍ର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବା ସମ୍ଭାବନା ରହିଛି।